ଭାରତର ଆଶା, ସୁଟିଂ ତାରକା ଏଲାଭେନିଲ୍ ଭାଲାରିଭାନ୍ ଏସୀୟ ସୁଟିଂ ଚାମ୍ପିୟନସିପ୍ରେ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି। ୧୬ତମ ଏସୀୟ ସୁଟିଂ ଚାମ୍ପିୟନସିପ୍ ପ୍ରତିଯୋଗିତାରେ ମହିଳାମାନଙ୍କର ୧୦ ମିଟର ଏୟାର ରାଇଫଲ୍ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି।
Asian Shooting Championship 2025: ଭାରତୀୟ ସୁଟିଂ ତାରକା ଏଲାଭେନିଲ୍ ଭାଲାରିଭାନ୍ ନିଜର ଉତ୍ତମ ପ୍ରଦର୍ଶନ ଜାରି ରଖି ୧୬ତମ ଏସୀୟ ଚାମ୍ପିୟନସିପ୍ ପ୍ରତିଯୋଗିତାରେ ମହିଳାମାନଙ୍କର ୧୦ ମିଟର ଏୟାର ରାଇଫଲ୍ ବିଭାଗରେ ଶୁକ୍ରବାର ଦିନ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ତାମିଲନାଡୁର ୨୬ ବର୍ଷୀୟା ଏହି ତାରକା ଫାଇନାଲ୍ସରେ ୨୫୩.୬ ପଏଣ୍ଟ ସହ ପ୍ରଥମ ସ୍ଥାନ ଅଧିକାର କରିଥିଲେ।
ଏହି ପ୍ରତିଯୋଗିତାରେ ଚୀନର ସିନ୍ ଲୁ ପେଙ୍ଗ୍ ୨୫୩ ପଏଣ୍ଟ ସହ ରୌପ୍ୟ ପଦକ ଜିତିଥିବା ବେଳେ କୋରିଆର ୟୁନଜି କ୍ୱାନ୍ (୨୩୧.୨) ବ୍ରୋଞ୍ଜ ପଦକ ଜିତିଥିଲେ। ଭାଲାରିଭାନ୍ଙ୍କର ଏହା ପ୍ରଥମ ବ୍ୟକ୍ତିଗତ ପଦକ; ଏହା ପୂର୍ବରୁ ସେ ଟିମ୍ ପ୍ରତିଯୋଗିତାରେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିଲେ।
ଏଲାଭେନିଲ୍ ଭାଲାରିଭାନ୍ଙ୍କର ଚମତ୍କାର ପ୍ରଦର୍ଶନ
ଫାଇନାଲ୍ସରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଚୀନର ସିନ୍ ଲୁ ପେଙ୍ଗ୍ (୨୫୩ ପଏଣ୍ଟ) ଏବଂ କୋରିଆର ୟୁନଜି କ୍ୱାନ୍ (୨୩୧.୨ ପଏଣ୍ଟ)ଙ୍କୁ ପଛରେ ପକାଇ ଭାଲାରିଭାନ୍ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଲାଭେନିଲ୍ଙ୍କ ପାଇଁ ଏହା ପ୍ରଥମ ବ୍ୟକ୍ତିଗତ ପଦକ ଅଟେ। ଏହା ପୂର୍ବରୁ ସେ ଟିମ୍ ପ୍ରତିଯୋଗିତାରେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିଲେ। ଏହି ବିଜୟ ସହିତ କଣ୍ଟିନେଣ୍ଟାଲ୍ ପ୍ରତିଯୋଗିତାରେ ଭାରତ ପାଇଁ ଏହା ଦ୍ୱିତୀୟ ସିନିୟର୍ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଅଟେ। ଏହା ପୂର୍ବରୁ ପୁରୁଷମାନଙ୍କର ସ୍କିଟ୍ ପ୍ରତିଯୋଗିତାରେ ଅନନ୍ତଜିତ୍ ସିଂ ନରୁକା ଭାରତ ପାଇଁ ପ୍ରଥମ ସିନିୟର୍ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ଏହି ପ୍ରତିଯୋଗିତାରେ ଏଲାଭେନିଲ୍ଙ୍କ ସହିତ ଅନ୍ୟ ଭାରତୀୟ ସୁଟିଂ ତାରକାମାନେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ମେହୁଲି ଘୋଷ ଆଠ ଜଣ ଶୁଟର୍ ଥିବା ଫାଇନାଲ୍ସରେ ୨୦୮.୯ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଥିଲେ। ମେହୁଲି କ୍ୱାଲିଫିକେସନ୍ ରାଉଣ୍ଡରେ ୬୩୦.୩ ପଏଣ୍ଟ ସହ ଦଶମ ସ୍ଥାନରେ ଥିଲେ। କିନ୍ତୁ ଟିମ୍ର ଅନ୍ୟ ଦୁଇ ତାରକା ଆର୍ଯ୍ୟା ପୋର୍ସ (୬୩୩.୨) ଓ ସୋନମ୍ ମାସ୍କର (୬୩୦.୫) ଅଧିକ ପଏଣ୍ଟ ପାଇଥିବାରୁ ସେମାନେ ଫାଇନାଲ୍ସରେ ସ୍ଥାନ ପାଇଥିଲେ।