Meta Platforms ଅଧୀନରେ ଥିବା ମେସେଜିଂ ସେବା WhatsApp ବିଜ୍ଞାପନମୁକ୍ତ ସବସ୍କ୍ରିପ୍ସନ୍ ଆଧାରିତ ମଡେଲ୍ରେ କାମ କରୁଥିବା ସଙ୍କେତ ମିଳିଛି। ସମ୍ପ୍ରତି ପ୍ରକାଶିତ WhatsApp ର ନୂତନ ସଂସ୍କରଣ 2.26.3.9 ର କୋଡ୍ରେ ଷ୍ଟାଟସ୍ ଏବଂ ଚ୍ୟାନେଲ୍ସ୍ ବିଭାଗରେ ଦେଖାଯାଉଥିବା ବିଜ୍ଞାପନକୁ ହଟାଇବା ପାଇଁ ଦେୟ ଅପ୍ସନ୍ର ସଙ୍କେତ ମିଳିଛି। ଏହି ମଡେଲ୍ ମାଧ୍ୟମରେ Meta ବିଜ୍ଞାପନ ଆୟ ବଢ଼ାଇବା ସହ ଉପଯୋଗକର୍ତ୍ତାଙ୍କୁ ବିଜ୍ଞାପନମୁକ୍ତ ଅନୁଭବର ଏକ ବିକଳ୍ପ ଦେବାକୁ ଯୋଜନା କରୁଛି ବୋଲି ଖବର ମିଳିଛି।
ସବସ୍କ୍ରିପ୍ସନ୍ ମଡେଲ୍ ଅନ୍ତର୍ଗତ ଯେଉଁ ଉପଯୋଗକର୍ତ୍ତାମାନେ ଦେୟ ଦେବେ, ସେମାନେ ଷ୍ଟାଟସ୍ ଏବଂ ଚ୍ୟାନେଲ୍ସ୍ରେ ଦେଖାଯାଉଥିବା ବିଜ୍ଞାପନରୁ ମୁକ୍ତି ପାଇପାରିବେ। ତଥାପି ଏହାର ମୂଲ୍ୟ ବା ଅତିରିକ୍ତ ବୈଶିଷ୍ଟ୍ୟ ସମ୍ପର୍କରେ Meta କିମ୍ବା WhatsApp ପକ୍ଷରୁ କୌଣସି ଆଧିକାରିକ ସୂଚନା ଏପର୍ଯ୍ୟନ୍ତ ଜାରି କରାଯାଇନି।
କମ୍ପାନୀ ପୂର୍ବରୁ ହିଁ ଷ୍ଟାଟସ୍ ଏବଂ ଚ୍ୟାନେଲ୍ସ୍ ବିଭାଗରେ ବିଜ୍ଞାପନର ପରୀକ୍ଷଣ ଆରମ୍ଭ କରିଛି। ଏହି ପରୀକ୍ଷଣକୁ ନେଇ ପୂର୍ବରୁ ଉପଯୋଗକର୍ତ୍ତାମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ନୂତନ ସବସ୍କ୍ରିପ୍ସନ୍ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଏହି ବିଜ୍ଞାପନଗୁଡ଼ିକୁ ହଟାଇବାର ବିକଳ୍ପ ପ୍ରଦାନ କରିବା ବୋଲି କୁହାଯାଉଛି।
WhatsApp ସବସ୍କ୍ରିପ୍ସନ୍ ନ ନେଇଥିବା ଉପଯୋଗକର୍ତ୍ତାମାନେ ଷ୍ଟାଟସ୍ ଏବଂ ଚ୍ୟାନେଲ୍ସ୍ ବିଭାଗରେ ଲଗାତାର ବିଜ୍ଞାପନ ଦେଖିବାକୁ ପଡ଼ିପାରେ। ଉପଲବ୍ଧ ସୂଚନା ଅନୁସାରେ ଚ୍ୟାଟ୍, କଲ୍ ବା ଗ୍ରୁପ୍ ସେବାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।
ମାଧ୍ୟମ ରିପୋର୍ଟ ଅନୁସାରେ Meta ର ଏବେର ମୁଖ୍ୟ ଧ୍ୟାନ ଷ୍ଟାଟସ୍ ଏବଂ ଚ୍ୟାନେଲ୍ସ୍ରେ ଦେଖାଯାଉଥିବା ବିଜ୍ଞାପନ ଉପରେ କେନ୍ଦ୍ରିତ ରହିଛି। WhatsApp ସମ୍ପୂର୍ଣ୍ଣ ଭାବେ ଦେୟ ସେବା ହେବ ନାହିଁ, ବରଂ ବିଜ୍ଞାପନ ହଟାଇବାକୁ ଇଚ୍ଛୁକ ଉପଯୋଗକର୍ତ୍ତାଙ୍କ ପାଇଁ ଏକ ବିକଳ୍ପ ସବସ୍କ୍ରିପ୍ସନ୍ ମଡେଲ୍ ଆନାଯାଇପାରେ।





